Unknown

 

 

 

 

 

 

 

 

 

ଜାଈଫୁଲ ଚଉତିଶା

ଶ୍ରୀ ଗୋପାଳକୃଷ୍ଣ ପଟ୍ଟନାୟକ

 

(କବି ଗୋପାଳକୃଷ୍ଣ - ‘କବି କଳହଂସ’ ଓ ‘ବସନ୍ତ କୋକିଳ’ । ତାଙ୍କ ରଚନାବଳୀ ଓଡ଼ିଆ ସାହିତ୍ୟ ଭଣ୍ଡାରର ଅମୂଲ୍ୟ ରତ୍ନ । ଅସଂଖ୍ୟ ଗୀତ, ଚଉତିଶା, ଚଉପଦୀ ରହିଛି ତାଙ୍କର । ‘ଜାଈଫୁଲ ଚଉତିଶା’ କବିଙ୍କର ଏକ ଅନବଦ୍ୟ ସୃଷ୍ଟି । ନାୟକ-ନାୟିକାର ବିରହଜନିତ ବେଦନା ଉକ୍ତ ଚଉତିଶାଟିରେ ସୁନ୍ଦର ଭାବେ ଫୁଟି ଉଠିଛି । ସୁନ୍ଦର, ସରଳ ଭାଷା । ଏହା ଗ୍ରାମ୍ୟରସ ଭାବେ ଗୃହୀତ ।)

 

କେଉଁ ଚିର ପରାବାସୀ

କରଇ ଚିନ୍ତା ଏକା ହୋଇ ମୋ ବନ୍ଧୁ କି ବିଚାରୁଥିବ ବସି ।୧।

ଖଳ ଦଇବ କି ନ କଲା

ଖଣ୍ଡପରଶୁପର ହାତେ ମୋ ବନ୍ଧୁ କେଡ଼େ ଦଣ୍ଡ ପଡ଼ିଗଲା ।୨।

ଗୁଣନିଧି ରୂପବତୀ

ଗ୍ରୀବା ଲୁଆଁ ମୃଦୁ ବଚନ ସୁମରି ଫାଟି ଯାଉନାହିଁ ଛାତି ।୩।

ଘଡ଼ିଏ ହେଳା ଅନ୍ତର

ଘନକେଶୀ ପେଶି ଦାସୀକି ସନ୍ତତେ ବୁଝୁଥାଇ ମୋ ଖବର ।୪।

ନେତ୍ରେ ନାଚୁଛି ମୋହର

ନବୀନା ଅଜାଗେ ମୋତେ ଚାହିଁ ଲାଜେ ହସି ଅପସରିବାରେ ।୫।

ଚାରୁ ଚାମୀକର ଅଙ୍ଗୀ

ଚିତ୍ତରୁ ଯାଉ ନାହିଁ ସାଜି କବରୀ ମୋତେ ଦେଖାଇବା ଭଙ୍ଗୀ ।୬।

ଛଇଲା ସ୍ନେହ ତୋହର

ଛାଡ଼ୁ ନାହିଁ ସୁତରାନ୍ତେ ମୋତେ ହୃଦେ ଧରି ଧୀରେ ବିଞ୍ଚିବାର ।୭।

ଯିବାବେଳେ ଆସେ ପାଶେ

ଜବାଧାରୀ ଲୋଭେ ଲେଉଟି ପଛକୁ ମୋତେ ଚାହିଁବାର ଦିଶେ ।୮।

ଝସନେତ୍ରୀ ଯା ଦିଶଇ

ଝଲକିଲା ପରି କୁଚରୁ ଅମୃତ ଝାଳ ଯାଉଯାଇ ବହି ।୯।

ନିଦ୍ରା ମୁଁ ଯିବାର ଚାହିଁ

ନିଟିଳ ତିଳକ ମୋ ଭାଲେ ଲଗାଇ ଚୁମ୍ବୁଥାଉ ରହି ରହି ।୧୦।

ଟେକ ଉରଜା ଗୁମାନେ

ଟାହି କରି ବସିଥାଉ ଚାହିଁ ମୋତେ ମିଶିଯାଉ ଅପଘନେ ।୧୧।

 

ଭାବାର୍ଥ- (୧-୧୧) କେଉଁ ଜଣେ ଚିର ପରବାସୀ ଏକାକୀ ବସି ଚିନ୍ତା କରୁଛି- ମୋ ବନ୍ଧୁ ବସି କ’ଣ ବିଚାର କରୁଥିବ ? ଖଳ ଦଇବ କ’ଣ ନ କଲା ? ଖଣ୍ଡପରଶୁ ଦ୍ୱାରା ମୋ ବନ୍ଧୁ କେତେ ଦଣ୍ଡ ନ ପାଇଲା ? ଗୁଣନିଧି, ରୂପବତୀର କୋମଳ କଥା ସ୍ମରଣ କରି କାହିଁକି ମୋ ଛାତି ଫାଟି ଯାଉନାହିଁ ? ତା’ ପାଖରୁ ଘଡ଼ିଏ ଅନ୍ତର ହେଲେ ଘନକେଶୀ ପ୍ରିୟା ଦାସୀକୁ ପଠାଇ ନିରନ୍ତର ମୋ ଖବର ବୁଝୁଥାଏ । ମୋ ନବୀନା ନ ଶୋଇ ମୋତେ ଚାହିଁଥିବ, ଲାଜରେ ହସି ଚାଲିଯାଉଥିବ- ଏ ସବୁ କଥା ମୋ ଚକ୍ଷୁ ଆଗରେ ନାଚୁଛି । ତା’ର ଚାରୁ ଅଙ୍ଗ, କବରୀ ସଜାଇ ମୋତେ ଦେଖାଇବା ଭଙ୍ଗୀ ମୋ ମନରୁ ଯାଉନାହିଁ । ମୋ ପ୍ରିୟାର ଛଇଲା ସ୍ନେହ ସୁରତ ଶେଷରେ ମଧ୍ୟ ଭୁଲି ହେଉନି । ମୋତେ ହୃଦୟରେ ଧୀରେ ଧୀରେ ବିଞ୍ଚିବାର ପାସୋର ଯାଉନାହିଁ ।

 

ଯିବା ବେଳେ ସେ ମୋ ପାଖକୁ ଆସେ । ଲେଉଟି ପଛକୁ ମୋତେ ଚାହିଁବାର ଦେଖାଯାଏ । ସେ ମୀନନେତ୍ରୀ ଯାହା ଦିଶଇ, ଝଲକିଲା ପରି ଦିଶେ । ତା’ ବକ୍ଷୋଜରୁ ଅମୃତ-ଝାଳ ବହିଯାଉଛି । ମୋ କପାଳରେ ତିଳକ ଲଗାଇଁ ପ୍ରିୟା ମୋର ରହି ରହି ଚୁମ୍ବନ ଦେଉଥାଏ । ଉନ୍ନତ ବକ୍ଷୋଜା ମୋର ପ୍ରିୟା ଗୁମାନରେ ମୋ ଆସିବା ପଥକୁ ଚାହିଁ ବସିଥାଏ । ମୋ ଶରୀରରେ ମିଶିଯିବାକୁ ଚାହିଁଥାଏ ।

 

ଠିଆ ହୋଇ ଅଗଣାରେ

ଠାରି କେଳିପୁରେ ପଶୁ ନାଗବଲ୍ଲୀ ଚନ୍ଦନ ଧରି ଶ୍ରୀକରେ ।୧୨।

ଡାକିଲେ ଶୁକ ମୋ ନାମ

ଡମ୍ବରୁମଧ୍ୟା ତୋ ପ୍ରତି ପ୍ରତିକରେ ଉଲ୍ଲସି ଉଠଇ ଲୋମ ।୧୩।

ଢାଳି ମୋ ହୃଦେ ଲପନ

ଢାଳେକ୍ଷଣି ଚୁମ୍ବ ଦେଇ ବୋଲୁ କେବେ ବିଦେଶ ନଯିବ ଧନ ।୧୪।

ଅପରାଧ କଲେ ଯେତେ

ଅଜଣା ପରି ଜାଣି କୃପା ବାରିଧି ବଞ୍ଚାଇ ନେଇଛୁ କେତେ ।୧୫।

ତନୁଦରି ପ୍ରେମ ଭୋଳେ

ତରକି ନପାରି ମୋ ରୂପ ଲେଖିଛୁ ଭିତ୍ତି ଚିତ୍ରିବାର ବେଳେ ।୧୬।

ଥିଲେ କି ବ୍ରତ ଆଚରି

ଥାଳୀରେ ଭରି ସେ ପ୍ରସାଦ ମୋଆଗେ ଉଭାହେଉ କରେଧରି ।୧୭।

ଦୂରୁ ଶୁଭିଲେ ମୋ ଗିର

ଦରଶନ ଯାଏ ବଣା ଏଣୀ ପରି ହେଉଥାଉ ତର ତର ।୧୮।

ଧଇଲେ ଦିବସେ କର

ଧୀରେ କେତେ ଦୈନ୍ୟକରି ଧନମୋତେ ହସି କରୁରେ ଜୁହାର ।୧୯।

ନ ଆସିଲେ ମୁଁ ଏଣିକି

ନବୀନା ଚିତ୍ରପଟରେ ଚାହିଁ ନେତ୍ରୁ ବୁହାଇ ଦେଉ ପାଣିକି ।୨୦।

ପଲ୍ଲବଲଗା ପ୍ରସୂନ

ପୟୋଧର ପାହାଡ଼ରେ ରଖିଥାଉ ମୋ ପାଇଁ କରି ଯତନ ।୨୧।

ଫୁଲବନ ସଦନରେ

ଫେଡ଼ି ପୋଥିପଢ଼ି ଲୁହ ପୋଛୁଥାଉ ମୋ କ୍ଷଣିକ ବିଚ୍ଛେଦରେ ।୨୨।

ବେଣୀ ସାଜି ଦେବି ବୋଲୁ

ବିମ୍ବାଧରୀ ହସି ପାଶକୁ ଆସିଲେ ପ୍ରଦୀପ ଲିଭାଇ ଦେଲୁ ।୨୩।

 

ଭାବାର୍ଥ (୧୨-୨୩) ପ୍ରିୟା ମୋର ଅଗଣାରେ ଠିଆ ରହି କେଳିପୁରକୁ ଯିବା ଠାରିବ । ମୁଁ ସେଠାକୁ ଗଲା ବେଳେ ହାତରେ ଚନ୍ଦନ ଧରିଥିବ । ଶୁଆପକ୍ଷୀ ମୋ ନାଁ ଧରି ଡାକିଲେ କ୍ଷୀଣାକଟୀର ଲୋମ ଉଲ୍ଲସି ଉଠିଥାଏ । ସେ ମୋ ହୃଦୟରେ ମୁହଁ ତା’ର ଢାଳି ଦେଇଥାଏ । ଚୁମ୍ବନ ଦେଇ କହେ, ଧନ, କେବେ ହେଲେ ବିଦେଶ ଯିବ ନାହିଁ । ଯେତେ ଅପରାଧ କଲେ ମଧ୍ୟ ସବୁ ଜାଣି ଅଜାଣ ପରି ରହିଯାଅ ଓ ଦୟାସାଗର ପରି କେତେ ବଞ୍ଚାଇ ନେଇଛୁ । ପ୍ରେମ ଭୋଳରେ ତରଳି ନ ପାରି କାନ୍ଥରେ ଚିତ୍ର ଲେଖିବା ବେଳେ ମୋ ରୂପ ଲେଖୁଛୁ ।

 

କି ବ୍ରତ ଆଚରଣ କରିଛୁ କେଜାଣି, ଥାଳୀରେ ପ୍ରସାଦ ଭରି ମୋ ଆଗରେ ତାକୁ ଧରି ଠିଆ ହୋଇଛୁ । ଦୂରରୁ ମୋ କଥା ଶୁଣିଲେ ଦର୍ଶନ ପାଇବା ଯାଏଁ ଅସ୍ତବ୍ୟସ୍ତ ହୋଇ ପଡ଼ୁ । ବଣା ହରିଣୀ (ଏଣୀ) ପରି ତର ତର ହୋଇ ପଡ଼ୁ । ଦିନ ବେଳେ ତୋ ହାତ ଧରି ପକାଇଲେ, ଧୀର ସ୍ଥିର ହୋଇ କେତେ ଦୈନ୍ୟ ଭାବରେ ହସି ହସି ମୋତେ ଜୁହାର କରୁ ଏମିତି ନ କରିବାକୁ ।

 

ରେ ନବୀନା, ମୁଁ ତୋ ପାଖକୁ ନ ଆସିଲେ ମୋ ଚିତ୍ରପଟକୁ ଚାହିଁ ଆଖିରୁ ଲୁହ ଝରାଉଥାଉ । କଅଁଳିଆ ପତ୍ର ଲାଗିଥିବା ଫୁଲକୁ ତୁ ସର୍ବଦା ତୋ ପୟୋଧର ପାହାଡ଼ରେ ମୋ ପାଇଁ ଯତ୍ନର ସହିତ ରଖିଥାଉଁ । ମୋର କ୍ଷଣିକ ବିଚ୍ଛେଦରେ ତୁ ଫୁଲବନ ଘରେ ରହି ମଧ୍ୟ ପୋଥିପଢ଼ି ସର୍ବଦା ଲୁହ ପୋଛୁଥାଉ । ରେ ବିମ୍ବାଧରି, ବେଣୀ ସଜାଇବାକୁ କହି ମୋ ପାଖକୁ ଆସୁ, ଅଥଚ ପାଖକୁ ଆସିଲେ ହସି ହସି ଦୀପଟାକୁ ଲିଭାଇ ଦେଉ ।

 

ଭରମାଙ୍ଗୀ ରତି ଶେଷେ

ଭିଡ଼ି ଦନ୍ତବାସ ପିନ୍ଧୁ ହାସ ବାସ ପୂରିଥାଇ ଗଣ୍ଡଦେଶେ ।୨୪।

ମଲ୍ଲୀ କୁସୁମର ତଳୁ

ମଧୁପ ଚୁମ୍ବୁଥିଲାର ତୁ ଅନାଇ ମୋ ନୟନ ବୁଜାଇଲୁ ।୨୫।

ଯତନେ ଶଯ୍ୟା ସଜାଡ଼ି

ଯିବାଯାଏ ମୁଁ ପଣନ୍ତରେ ପଲ୍ୟଙ୍କ ତଳରେ ଥାଉ ପହୁଡ଼ି ।୨୬।

ରତି ସରସ ରଙ୍ଗରେ

ରାମାମଣି ମୋ ଶାନ୍ତି ଜାଣି ରୁହାଉ ଚିବୁକ ଧରି ଶ୍ରୀକରେ ।୨୭।

ଲଳନା ସ୍ୱପ୍ନେ କି ଚାହୁଁ

ଲୁହ ପୋଛି ପୋଛି ପଣନ୍ତ ତିନ୍ତଇ ମୁଁ ପଚାରିଲେ ନ କହୁ ।୨୮।

ବାସବ ରତନ କେଶୀ

ବାହୁ ମୋ ମଥା ମୂଚଳି କରି ଥାଉ ପାହି ଯିବା ଯାଏ ନିଶି ।୨୯।

ଶୀର୍ଣ୍ଣ ଦିଶୁଥିବ ପରା

ଶଙ୍କର ସେବାର ଫଳ ତୁ ମୋହରି ବରାରୋହା ଅଗ୍ରଗିରା ।୩୦।

ଷୋଡ଼ଶ ବୟସୀ ରାମା

ଷଟପଦ ଅଳକିନୀ ଶୋଭା ତୋର ଚାହିଁ ପ୍ରଶଂସିବେ ଉମା ।୩୧।

ସଜନୀରଜ ଲପନା

ସଜନୀ ଅଙ୍କରେ ପଡ଼ି କରୁଥିବ ଯଦି କୁଶଳେ ବରତି ଥିବ ।୩୨।

ହରକୃପା ଦିଶିଯିବ

ହାଟକ ଅଙ୍ଗୀମୋ ଭେଟ ଯାଏ ଯଦି କୁଶଳେ ବରତି ଥିବ ।୩୩।

କ୍ଷଣେ ନ କରି ଅଳସ

କ୍ଷିତିଭୁଷା ପାଶେ ମିଳିଲା ଗୋପାଳକୃଷ୍ଣ ତେଜି ପରବାସ ।୩୪।

 

ଭାବାର୍ଥ- (୨୪-୩୪) ରେ ବିମ୍ବାଧରି, ରତି ଶେଷରେ, ଖସି ଯାଇଥିବା ବସ୍ତ୍ରକୁ ପିନ୍ଧୁଥାଉ । ତୋ ଗଣ୍ଡଦେଶରେ ହାସବାସ ପୂରି ରହିଥାଏ । ମଲ୍ଲୀଫୁଲର ତଳୁ ମହୁମାଛି ଚୁମ୍ୱିଥିବା ତୁ ଦେଖି ମୋ ଆଖିକୁ ବୁଜାଇ ଦେଉ ।

 

ତୁ ଅତି ଯତ୍ନର ସହିତ ଶଯ୍ୟାକୁ ସଜାଡ଼ି ଦେଉ । ମୁଁ ସେଠାକୁ ଯିବା ଯାଏଁ, କାଳେ ଶଯ୍ୟା ଅପରିଷ୍କାର ହୋଇଯିବ ଭାବି ତୁ ପଲଙ୍କ ତଳେ ପଣନ୍ତ କାନିରେ ପହୁଡ଼ୁଥାଉ । ସରସ ରଙ୍ଗରେ ରତିକ୍ରୀଡ଼ା କରି ମୋତେ ଶାନ୍ତି ଦେଉଥାଉ । ହାତରେ ଚିବୁକ ଧରାଇଥାଉ । ସ୍ୱପ୍ନରେ କ’ଣ ଦେଖିଲେ କାହାକୁ କିଛି ନ କହି କେବଳ କାନ୍ଦୁ । ଲୁହ ପୋଛି ପୋଛି ପଣନ୍ତକୁ ତିନ୍ତାଇ ଦେଉ-। ମୁଁ କେତେ କରି ପଚାରିଲେ କିଛି କହୁନାହୁଁ । ରତ୍ନକେଶୀ ମୋ ବାହୁକୁ ମୁଚୁଳା କରି ରାତି ପାହିବା ଯାଏ ଶୋଇଥାଏ । ମୋତେ ଝୁରିଝୁରି ସେ ଏବେ ଶୀର୍ଣ୍ଣ ଦିଶୁଥିବ । ଶଙ୍କରଙ୍କୁ ସେବା କରିବାର ଫଳ ସ୍ୱରୂପ ତୋ ଭଳି ସୁନ୍ଦରୀ କ୍ଷୀଣକଟୀକୁ ପାଇଛି ।

 

ରେ ଷୋଡ଼ଶବୟସୀ ରାମା, ଚୂର୍ଣ୍ଣକୁନ୍ତଳା (ଅଳକାନୀ) ତୋର ଅପରୂପ ଲାବଣ୍ୟ ଦେଖି ଉମା ପ୍ରଶଂସା କରିବେ । ରେ ଚନ୍ଦ୍ରମୁଖି, ଯଦି କୁଶଳରେ ସେ ବଞ୍ଚିଥିବ, ତାକୁ ମୁଁ ପାଇବି । ହରଙ୍କର ଯଦି କୃପାଥିବ, ତେବେ ମୋର ତା’ ସହିତ ଭେଟ ଯାଏଁ ସେ କୁଶଳରେ ବଞ୍ଚି ରହିଥିବ । କ୍ଷଣିକ ପାଇଁ ମଧ୍ୟ ଅଳସ ନ ହୋଇ ପୃଥିବୀ ମଣ୍ଡନା ପାଖରେ ପରବାସ ତେଜି ସେ ପ୍ରବେଶ କଲା-। କବି ଗୋପାଳକୃଷ୍ଣ ଏହା ଲେଖିଲେ ।

Image